Odia Story 2 // Odia Kahani 2 // ଓଡ଼ିଆ କାହାଣୀ ୨ // “ଦୁରାଶାର ଜାଲ”// Dt-18.11.2023…….
ଅବତାରର ଚାରି ଏକର ଜମି । ଠିକ୍ ସମୟରେ ବର୍ଷା ହେଉଥିବାରୁ ବହୁବର୍ଷ ହେଲା, ଫସଲରୁ ଭଲ ଆମଦାନୀ ହେଉଥାଏ । କିନ୍ତୁ ତାହା ତା’ମନକୁ ଆଦୌ ତୃପ୍ତ କରୁ ନ ଥାଏ । ମନରେ ତା’ର ତୀବ୍ର ଇଚ୍ଛା ଥାଏ ସେ କିପରି ଜଣେ ଖୁବ୍ ଭାଗ୍ୟବାନ, ଧନଶାଳୀ ବ୍ୟକ୍ତିଟିଏ ହେବ ।
ଦିନେ ସେହି ଗ୍ରାମକୁ ଜଣେ ଯୋଗୀ ଆସିଲେ । ସେ ଗ୍ରାମବାସୀଙ୍କୁ ଉପଦେଶ ଓ ସତ୍ପରାମର୍ଶ ଦେଉଥାନ୍ତି । ଅବତାର ତାଙ୍କୁ ସାକ୍ଷାତ କରି ପ୍ରଶ୍ନ କଲା, ମଣିଷମାନଙ୍କ ମଧ୍ୟରେ ଧନୀ-ଗରିବ ନେଇ ଏତେ ପ୍ରଭେଦ କାହିଁକି?
ତହୁଁ ସେ ଯୋଗୀ ଉତ୍ତର ଦେଲେ, “ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମ ଅନୁସାରେ, ଶକ୍ତି ସାମର୍ଥ୍ୟ ଅନୁପାତରେ ଓ ପରିସ୍ଥିତି କାରଣରୁ ଧନୀ କିମ୍ବା ଗରିବ ହୋଇଥାଏ ।”
ଅବତାର ସେହି ଯୋଗୀଙ୍କୁ ତାକୁ ଭାଗ୍ୟବାନ କରିଦେବା ପାଇଁ କୌଣସି ଉପାୟ ବତାଇଦେବା ନିମନ୍ତେ ପ୍ରାର୍ଥନା କଲା ।
ସେ ଯୋଗୀ ଅବତାରକୁ ବ୍ୟବସାୟ କରିବା ପାଇଁ ପରାମର୍ଶ ଦେଲେ । ଅବତାର ସେ କ୍ଷେତ୍ରରେ ନିଜର ଅନଭିଜ୍ଞତା ପ୍ରକାଶ କଲା । କୌଣସି କଳାବିଦ୍ୟାରେ ନିପୁଣତା ହାସଲ କରିବା ପାଇଁ କହିବାରୁ, ସେ ପୁଣି ନିଜର ଅଜ୍ଞତା ଜଣେଇଲା । ଏପରିକି କୌଣସି ଧନଶାଳୀ ବ୍ୟକ୍ତିର ଆଶ୍ରୟରେ ରହିବା ପାଇଁ ପରାମର୍ଶ ମଧ୍ୟ ସେ ଗ୍ରହଣ କରିପାରିଲା ନାହିଁ ।
ସେ ଯୋଗୀ ଜଣକ ଅବତାରକୁ ଉପଦେଶ ଦେଲେ “ତୁମେ ତ ବେଶ୍ ଆରାମରେ ଚଳୁଛ । ତୁମର ଖାଇବା ପିନ୍ଧିବାରେ କୋଉଥିରେ କିଛି ବି ଊଣା ନାହିଁ । ତୁମ ମନରେ ବଡଲୋକ ହେବାର ଏହି ଯେଉଁ ଅଭିଳାଷ ଅଛି ତାହା କେବଳ ଦୁରାଶା ମାତ୍ର । ଏହା ଏକ ମନ୍ଦ ସ୍ୱଭାବ ଅଟେ ।”
ତା’ପରେ ଅବତାର ଯୋଗୀଙ୍କ ଉପଦେଶକୁ ଅଗ୍ରାହ୍ୟ କରି କହିଲା “ପ୍ରତ୍ୟେକ ମଣିଷ ମଧ୍ୟରେ ତ ବଡ ହେବାର ଅଭିଳାଷ ରହିଛି । ଏହାକୁ ଦୁରାଶା ବୋଲି କାହିଁକି କହୁଛନ୍ତି? କେବଳ ‘ଭାଗ୍ୟ’ ସଂଯୋଗ ଘଟିଲେ, ସବୁ କିଛି ସମ୍ଭବ ହୋଇପାରେ ।”
ଏସବୁ ଶୁଣି ଯୋଗୀ କହିଲେ, “ଆମ ପ୍ରଚେଷ୍ଟା ଓ ନିଜର ସାମର୍ଥ୍ୟ ବିନା ଯେଉଁ ଭାଗ୍ୟ ପ୍ରାପ୍ତ ହୁଏ, ତାହା କଦାପି ମଧ୍ୟ ସ୍ଥାୟୀ ନୁହେଁ । କେବଳ ଭାଗ୍ୟକୁ ଆଶ୍ରୟ କରି ବଡ ହେବାର ଅଭିଳାଷର ଅନ୍ୟନାମ ହେଉଛି ଦୁରାଶା । ମୋ କଥା ତୁମର ବିଶ୍ୱାସ ହେଉ ନ ଥିଲେ, ମୁଁ ତୁମକୁ ଏକ ମନ୍ତ୍ର ପ୍ରଦାନ କରୁଛି । ଏହି ମନ୍ତ୍ର ପାଠ କଲେ ଚୋରଦେବ ଆବିଷ୍କୃତ ହେବେ ଏବଂ ତୁମେ ଯେତେ ଧନ ଆଶା କରିବ, ସେ ତାହା ତୁମକୁ ନିଶ୍ଚୟ ଦେବେ ।”
ଅବତାର ପ୍ରକୃତରେ ସେ ଯୋଗୀଙ୍କଠାରୁ ଏକ ବର ହିଁ କାମନା କରୁଥିଲା । ତେଣୁ ତାଙ୍କ କଥା ଶୁଣୁଶୁଣୁ ସେ ଅତି ଖୁସିରେ ପାଗଳ ହୋଇଉଠିଲା । ଯୋଗୀଙ୍କ ଠାରୁ ସେହି ମନ୍ତ୍ର ପାଇବା ପାଇଁ ତାଙ୍କ ପାଦତଳେ ପଡି ସେ ଖାଲି ପ୍ରଣାମ ଲାଗିବାରେ ଲାଗିଲା ।
“ମନ୍ତ୍ର ଗ୍ରହଣ କରିବା ପୂର୍ବରୁ, ତୁମେ ପ୍ରଥମେ ଚୋରଦେବଙ୍କ ସମ୍ବନ୍ଧରେ କିଛି ଜାଣିବା ନିହାତି ଆବଶ୍ୟକ ।” ଏପରି କହି ସେ ଯୋଗୀ ଚୋରଦେବଙ୍କ କଥା କହିଲେ ।
ଚୋରଦେବ ଧନୀକ ଲୋକଙ୍କ ଠାରୁ ସେମାନଙ୍କ ଅଜାଣତରେ ଧନ ଅପହରଣ କରି ନେଇ ଗରିବ ଲୋକଙ୍କୁ ଦେଇଦିଅନ୍ତି । ଯେହେତୁ ଧନୀକ ଲୋକଙ୍କର ସେହି ଧନ ନ୍ୟାୟସମ୍ମତ ଉପାର୍ଜନ ହୋଇ ନ ଥାଏ, ତେଣୁ ସେମାନେ ରାଜାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ମଧ୍ୟ ସାହସ କରିପାରନ୍ତି ନାହିଁ ।
ଚୋରଦେବ ଯାହାକୁ ଏହି ଧନ ଦିଅନ୍ତି, ସେ ହିଁ କେବଳ ତାହା ଦେଖିପାରେ । ଧନ ପାଇଥିବା ବ୍ୟକ୍ତି ଏକ ସପ୍ତାହ ପର୍ଯ୍ୟନ୍ତ ନିଜ ପାଖରେ ସେହିଧନ ରଖିପାରେ । ଏହି ସମୟସୀମା ମଧ୍ୟରେ ତାହା ସେ ବ୍ୟୟ କରି ନ ପାରିଲେ, ତାହା ଅନ୍ତର୍ଦ୍ଧାନ ହୋଇଯାଏ । କୌଣସି ମନୁଷ୍ୟ ତା’ ଜୀବନରେ ଥରେମାତ୍ର ଚୋରଦେବଙ୍କ ସାକ୍ଷାତ ପାଇପାରେ । ସେ ତାହାର କେବଳ ଗୋଟିଏ ମାତ୍ର ଇଚ୍ଛା ପୂରଣ କରନ୍ତି । ଯାହାର ଅତି ଉଚ୍ଚ ଆଶା ଥାଏ, ତାହା ଚୋରଦେବଙ୍କ ଦ୍ୱାରା ପୂରଣ ହେଲେ ମଧ୍ୟ ସ୍ଥାୟୀ ହୁଏ ନାହିଁ ।
ଏହି ସାରା ବିବରଣୀ ଶୁଣିବା ପରେ ମଧ୍ୟ ଅବତାର ଯୋଗୀଙ୍କ ଠାରୁ ମନ୍ତ୍ରୋପଦେଶ ପାଇବା ପାଇଁ ହଁ କଲା । ଅଗତ୍ୟା ଯୋଗୀ ତାକୁ ମନ୍ତ୍ରୋପଦେଶ ଦେଇ କହିଲେ, “ଆସନ୍ତା କାଲି ପ୍ରଭାତ ସମୟରେ, ସ୍ନାନ କରି ଏହି ମନ୍ତ୍ର ଉଚ୍ଚାରଣ କରିବ । ତେବେ ଯାଇ ଚୋରଦେବ ଆବିର୍ଭୁତ ହେବେ ।”
ତା’ପରେ ଅବତାର ଘରକୁ ଫେରି ଆସିଲା । ସାରା ଦିନ ତାର ମନ ଅସ୍ଥିର ରହିଥାଏ । ରାତିରେ ମଧ୍ୟ ନିଦ୍ରା ହେଲା ନାହିଁ । ପରଦିନ ସକାଳୁ ଧଡପଡ ହୋଇ ଉଠିପଡି ସେ ସ୍ନାନ କରି ପକାଇଲା ଓ ମନ୍ତ୍ରପାଠ କରିବାକୁ ବସିଲା ।
ଅଚିରେ ଏକ କୃଷ୍ଣକାୟ ବ୍ୟକ୍ତିର ସ୍ୱରୂପ ଅବତାର ସମ୍ମୁଖରେ ଉଭା ହେଲେ । ତାର ଶରୀର ତୈଳ ବୋଳି ହେଲା ପରି ଚିକ୍କଣ ଦିଶୁଥାଏ । ତାଙ୍କ ଆଖିରେ ପଟି ବନ୍ଧା ହୋଇଥାଏ । ଉଚ୍ଚ ବଳିଷ୍ଠ ଶରୀର ସଂପନ୍ନ ସେହି ବ୍ୟକ୍ତି ଅବତାରକୁ କହିଲେ, “ମୁଁ ହେଉଛି ଚୋରଦେବ । ତୁମର କେତେ ଧନ ଆବଶ୍ୟକ, ପ୍ରକାଶ କର ।”
Odia Story 2 // Odia Kahani 2 // ଓଡ଼ିଆ କାହାଣୀ ୨ // “ଦୁରାଶାର ଜାଲ”// Dt-18.11.2023…….
ଏକଥା ଶୁଣି ଅବତାରର ଆନନ୍ଦ ବର୍ଣ୍ଣନାତୀତ ଥିଲା । ସେ ଭୟମିଶା ଭକ୍ତିରେ ଚୋରଦେବଙ୍କୁ ପ୍ରଣାମ କରି କହିଲା, “ସ୍ୱାମୀ, ମୋର ଏକକୋଟି ସୁନା ମୋହର ଆବଶ୍ୟକ ।”
ଅବତାର କଥା ଶୁଣି ଚୋରଦେବ କହିଲେ, “ମିଳିବ, ଅବଶ୍ୟ ମିଳିବ । ତା’ପରେ ପୁଣି ସେ ପଚାରିଲେ, ସବୁ ସୁନାମୋହର ଏଇଠି ଏମିତି ମାଟି ଉପରେ ଅଜାଡିଦେବି ନା ଏକ ଖୁବ୍ ବଡ ପେଟିର ବନ୍ଦୋବସ୍ତ କରିପାରିବ?”
ତାଙ୍କ କଥା ଶୁଣି ଅବତାର କହିଲା, “ସ୍ୱାମୀ, ଆର ବଖରାରେ ଗୋଟିଏ ବଡପେଟି ଖାଲି ଅଛି । ଆପଣ ସେଥିରେ ଧନ ରଖିଦେଲେ ବହୁତ ସୁବିଧା ହେବ ।”
“ଠିକ୍ ଅଛି, କାଲି ସକାଳେ ପେଟି ଖୋଲି ଦେଖିନେବ ।” ଏପରି କହି ଚୋରଦେବ ହଠାତ୍ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।
ଅବତାରକୁ ଏହି ସବୁ ଘଟଣା ସ୍ୱପ୍ନ ପରି ଲାଗୁଥାଏ । ପ୍ରଭାତର ଉଦୟଭାନୁଙ୍କ କିରଣ ଧରା ସ୍ପର୍ଶ ନ କରୁଣୁ, ସେ ଶଯ୍ୟାତ୍ୟାଗ କରି ବଡ ଆତୁରତାର ସହିତ ଏପଟସେପଟ ହେଉଥାଏ । ଯେତେବେଳେ ସେ ପେଟି ଖୋଲି ଦେଖିଲା, ସେଥିରେ ଅକଳନ ସୁନା ମୋହର ଗଦା ହୋଇ ଥାଏ । ଏତେ ଧନ ଏକାବେଳେ ଦେଖି ସେ ଉନ୍ମାଦଙ୍କ ପରି ହେଲା । ଭାବିଲା, ଏହି ଧନରେ ସେ ଓ ତା’ ପରିବାରବର୍ଗ, କେତେ ପୀଢି ଧରି ଐଶ୍ୱର୍ଯ୍ୟଭରା ଜୀବନ ବଂଚିପାରିବେ ।
ତା’ର ମାତା-ପିତା, ପତ୍ନୀ ପୁତ୍ର କେହି ବି କିଛି ଜାଣିପାରୁ ନ ଥାନ୍ତି । ଅବତାରର ଏହି ଅକସ୍ମାତ ଖୁସି ହେବାର କାରଣ ସେ ତାର ଧନପ୍ରାପ୍ତି ସମ୍ବନ୍ଧରେ କାହାକୁ କିଛି କହି ନ ଥାଏ । କାରଣ ତାହା ନିଜ ବ୍ୟତୀତ ଅନ୍ୟ କେହି ମଧ୍ୟ ଦେଖିପାରିବେ ନାହିଁ । ଅବତାର ଚିନ୍ତାକଲା, ଏକ ମାସ ପରେ ଏହି ଧନ ଯେତେବେଳେ ସମସ୍ତେ ଦେଖିପାରିବେ, ସେହି ସମୟରେ ସମସ୍ତଙ୍କୁ ସବୁ ବୃତାନ୍ତ ଜଣେଇଦେବ ।
ଅବତାର ପ୍ରତିଦିନ ସେଇ ବଖରାକୁ ଏକାକୀ ଯାଏ ଓ ପେଟିଭର୍ତ୍ତି ଧନ ଦେଖି ମନରେ ଅପାର ଆନନ୍ଦ ଅନୁଭବ କରେ । ଏତେ ଧନର ମାଲିକ ହେବାର ସୁଖରେ ବିଭୋର ହୋଇ, ଦୁଇସପ୍ତାହ ବିତିଗଲା । ଦିନେ ଦେଖିଲା, ପେଟିରେ ଆଉ ଗୋଟିଏ ହେଲେ ବି ସୁନାମୋହର ନାହିଁ ।
ଏସବୁ ଦେଖି ଅବତାରର ଛାତିଫାଟିଯିବା ପରି ବୋଧ ହେଲା । ସେହି ଧନକୁ ତ, ତା ବ୍ୟତୀତ ଅନ୍ୟକେହି ବି ଦେଖିନାହାଁନ୍ତି । ତେଣୁ ତାକୁ ବା ପୁଣି ନେବ କିଏ? ଏହା ନିଶ୍ଚୟ ସେହି ଯୋଗୀଙ୍କର କୌଣସି ମାୟା । ସେ ମଧ୍ୟ ତାକୁ ଜଣାଇ ନାହାଁନ୍ତି ଯେ, ଏହି ଧନ ଦୁଇସପ୍ତାହ ପରେ ଉଭେଇ ଯିବ । ତେଣୁ ଏହି ମାୟାର କାରଣ ଜାଣିବା ପାଇଁ ସେ ଯୋଗୀଙ୍କ ସନ୍ଧାନରେ ବାହାରିଲା ।
ମାତ୍ର ସେତେବେଳକୁ ଏକ ସପ୍ତାହ ହେଲା ଯୋଗୀ ସେହି ଗ୍ରାମ ପରିତ୍ୟାଗ କରିସାରିଥିଲେ । କେହି ଜଣେ କହିଲା, ସେ ମଥୁରା ଅଭିମୁଖେ ଯାଇଛନ୍ତି । ଏହା ଶୁଣି ଅବତାର ତୁରନ୍ତ ସେହି ଦିଗରେ ବାହାରିପଡିଲା ।
ମଥୁରାର ସୀମା ଅତିକ୍ରମ କରି ନଗର ମଧ୍ୟରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଅବତାରର ବଳରାମ ସହିତ ଦେଖା ହେଲା । ଦେଖୁ ଦେଖୁ ସେ କହିଲା, “ମୁଁ ତୁମକୁ ହିଁ ଦେଖା କରିବା ପାଇଁ ଗ୍ରାମକୁ ବାହାରିଥିଲି । ଅଥଚ ଭଗବାନଙ୍କ ପରି ତୁମେ ମୋ ଆଗରେ ଉଭା ହୋଇଗଲ । ସତରେ ଇଏ ବଡ ବିଚିତ୍ର କଥା ।”
ଏହା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇ ସେ ଅବତାର ପଚାରିଲା, “ମୋ ପାଖରେ ତୁମର ପୁଣି କି କାମ?”
ତାଙ୍କ କଥା ଶୁଣି ବଳରାମ କହିଲା, “କଣ ଭୁଲିଗଲ! ମୋର କନ୍ୟାର ବିବାହ, ତୁମ ପୁତ୍ର ସହିତ କରାଇବା ପ୍ରସ୍ତାବରେ ତୁମେ ମୋତେ ପଚାଶ ହଜାର ସୁନାମୋହର ଯୌତୁକ ମାଗିଥିଲ । ସେହି ସମୟରେ ତ ମୋ ନିକଟରେ ଏତେ ଅର୍ଥ ନ ଥିଲା । ମାତ୍ର ଏବେ ମୋତେ ତୁମେ ଲକ୍ଷେ ମୋହର ମାଗିଲେ ବି ମୁଁ ନିଶ୍ଚୟ ଦେଇ ପାରିବି । ଏହି କଥା କହି ପ୍ରସ୍ତାବଟି ସ୍ଥିର କରିବା ପାଇଁ ମୁଁ ତୁମ ଗ୍ରାମକୁ ବାହାରିଥିଲି । ଏକଥା ଭାବନାହିଁ ଯେ, ମୋର ପୁତ୍ରୀକୁ ଅନ୍ୟ ବର ମିଳୁନାହାଁନ୍ତି । କିନ୍ତୁ ତୁମ ପୁତ୍ରଟି ସୁଯୋଗ୍ୟ ହୋଇଥିବାରୁ, ତାହା ମୋର ମନୋନୀତ ହୋଇଛି ।”
ଏକଥା ଶୁଣି ଅବତାର ସନ୍ଦେହ କରି ବଳରାମକୁ ପଚାରିଲା, “ଏତେଗୁଡାଏ ଧନ ଏକାସଂଗେ ତୁମେ କେଉଁଠାରୁ ପାଇଲ?”
ତହୁଁ ବଳରାମ କହିଲା, “ଏ ସବୁ କେବଳ ସେହି ଯୋଗୀଙ୍କର ହିଁ କୃପା ଅଟେ । ଆମେ ସେ ବିଷୟରେ ପଛରେ କଥାହେବା । ମୁଁ ପ୍ରଥମେ ଯୋଗୀଙ୍କୁ ସାକ୍ଷାତ କରିସାରେ ।” ଯୋଗୀଙ୍କ ନାମ ଶୁଣୁ ଶୁଣୁ ଅବତାର ଖୁବ୍ ବ୍ୟସ୍ତ ହୋଇପଡିଲା ।
ତା’ପରେ ବଳରାମ ଅବତାରକୁ ଯୋଗୀ ରହୁଥିବା ସ୍ଥାନକୁ ଘେନିଗଲା । ସେହି ସମୟରେ ଯୋଗୀ ସେହି ସ୍ଥାନ ତ୍ୟାଗ କରି ଅନ୍ୟ ଏକ ଗ୍ରାମକୁ ଯିବାପାଇଁ ବାହାରିଥିଲେ । ସେ ଅବତାର ଠାରୁ ସମ୍ପୂର୍ଣ୍ଣ ଘଟଣାଟି ଶୁଣିଲେ ଓ କହିଲେ, “ମୁଁ ତୁମକୁ ଚେତାବନୀ ଦେଇଥିଲି, ଦୁରାଶାର ଜାଲରେ ଆଦୌ ଛନ୍ଦି ହୁଅ ନାହିଁ । ସେହି କାରଣରୁ ଚୋରାଦେବଙ୍କ କୃପାରୁ ତୁମେ ଲାଭ ପାଇ ପାରିଲ ।”
ଅବତାର ମନଦୁଃଖ କରି କହିଲା, “ସ୍ୱାମୀ, ମତେ ପ୍ରକୃତ ଘଟଣାଟି ସ୍ପଷ୍ଟରୂପେ କୁହନ୍ତୁ ।”
“ଏକକୋଟି ସୁନାମୋହରର ମାଲିକ ହେବ । ଫଳରେ ତୁମେ ଜଣେ ଧନବାନ ବ୍ୟକ୍ତିରେ ପରିଣତ ହେଲ । ଆଉ ଏହା ମଧ୍ୟ ଅନ୍ୟାୟ ଉପାର୍ଜିତ ଧନ । ତେଣୁ ଅନ୍ୟକେହି ଏପରି ଧନଆଶା କରିବାରୁ, ଚୋରଦେବ ତୁମଠାରୁ ଧନ ଚୋରୀ କରିନେଇ ତାକୁ ଦେଇଛନ୍ତି । ଯଦି ତୁମେ ଦଶ, ପନ୍ଦର ହଜାର ସୁନାମୋହର ଆଶା କରିଥାନ୍ତ, ତେବେ ତାହା ତୁମପାଖରେ ସୁରକ୍ଷିତ ଥାଆନ୍ତା ।” ଯୋଗୀ ସହାସ୍ୟବଦନରେ ଘଟଣାଟି କହିଲେ ।
ଏ କଥା ଶୁଣିବା ମାତ୍ରେ ବଳରାମ ଅତ୍ୟନ୍ତ ବ୍ୟସ୍ତ ହୋଇପଡି କହିଲା, “ଆରେ ବାପ୍ରେ, ମୁଁ ତ କୋଡିଏ କୋଟି ସୁନାମୋହର କାମନା କରିଛି । ଏବେ ତ ମୋର ସେହି ଧନ କୁଆଡେ ଅନ୍ତର୍ଦ୍ଧାନ ହୋଇସାରିବଣି?” ଏପରି କହି ସେ ଅଧୈର୍ଯ୍ୟ ହୋଇ ପଡିଲା ।
“ଏବେ ତାହା ସୁରକ୍ଷିତ ଅଛି । ମାତ୍ର ଏକ ସପ୍ତାହ ମଧ୍ୟରେ ତାହା ନିଶ୍ଚୟ କୁଆଡେ ଚାଲି ଯିବ ।” ଏପରି କହି ଯୋଗୀ ସେହି ଗ୍ରାମ ତ୍ୟାଗ କରି ଅନ୍ୟତ୍ର ଚାଲିଗଲେ ।
ବଳରାମର ଧନ ବିଷୟ ଜାଣିବା ପାଇଁ ଅବତାର ମନରେ ଉତ୍ସୁକତା ଜନ୍ମିଲା । ସେ ତାଙ୍କ ଘରେ ପହଁଚି ଦେଖିଲା ଖାଲି ପେଟି ପାଖରେ, ବଳରାମ ମୁଣ୍ଡରେ ହାତ ଦେଇ ଠିଆ ହୋଇଛି । ଅବତାର, ବଳରାମର ପିଠିକୁ ଥାପୁଡେଇ କହିଲା, “ଆଉ ଚିନ୍ତା କରି ଲାଭ ବା କ’ଣ? ଆମେ ଦୁହେଁ ଭାଗ୍ୟବାନ ହେବାରୁ ଅଳ୍ପକେ ବାଦ୍ ପଡି ଗଲେ । ପ୍ରଥମରୁ ଯୋଗୀ ମତେ ଉପଦେଶ ଦେଇଥିଲେ ଯେ, ଦୁରାଶା ଅତ୍ୟନ୍ତ ହାନିକାରକ ଅଟେ ।”
ଅବତାର ବଳରାମକୁ କହିଲା ।
🌼🌻ସମାପ୍ତ 🌻🌼
Odia Story 2 // Odia Kahani 2 // ଓଡ଼ିଆ କାହାଣୀ ୨ // “ଦୁରାଶାର ଜାଲ”// Dt-18.11.2023…….
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।
ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆପଣ ମାନଙ୍କୁ ଓଡ଼ିଆ Fast News ରେ ସ୍ବାଗତ । ଆଶା କରୁଛି ଯେ ଆପଣଙ୍କ ଦିନଟି ସୁଖ ମୟ ହେଉ । ଆପଣଙ୍କ ପରିବାର ସୁଖ ରେ ରୁହନ୍ତୁ। ଏଠାରେ ପ୍ରତ୍ୟେକ ଦିନର ରାଶିଫଳ ଏବଂ ପ୍ରତ୍ୟେକ ଦିନର ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶିତ କରାଯାଏ ।